ବିଂଶ ଶତାଦ୍ଦୀ ତୃତୀୟ ଦଶକରେ ଆଳୁ, ଟମାଟ ଭଳି ପରିବା ବ୍ରହ୍ମପୁର ଖାଦ୍ୟ ସାମଗ୍ରୀ ତାଲିକାରେ ଯୋଡ଼ି ହୋଇଥିଲା । ଆଳୁକୁ ବିଲାତି ଆଳୁ ଓ ଟମାଟକୁ ବିଲାତି ବାଇଗଣ କୁହାଯାଉଥିଲା । ସେହି ସମୟରୁ ଆଳୁ ଆମଦାନୀ ନିମନ୍ତେ ବ୍ରହ୍ମପୁର ବଜାର ପଶ୍ଚିମ-ବଙ୍ଗ ଉପରେ ନିର୍ଭର କରି ଆସିଛି । ଆଳୁ ଅମଳରେ ପ୍ରସିଦ୍ଧ ଦେଶର ତିନିଗୋଟି ରାଜ୍ୟ ମଧ୍ୟରେ ପଶ୍ଚିମ-ବଙ୍ଗ ଅନ୍ତର୍ଭୁକ୍ତ । ଦୈନିକ ଆଠ ଗୋଟି ଟ୍ରକରେ ପ୍ରାୟ ଦୁଇ ଶହ ଟନ ଆଳୁ ୨୦୨୪ ସୁଦ୍ଧା ବ୍ରହ୍ମପୁରକୁ ଆମଦାନୀ ହୁଏ । ସ୍ଥାନୀୟ ବଡ଼-ବଜାର ଆଳୁ ଗୋଦାମରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବଜାରକୁ ଆଳୁ ବିତରଣ କରାଯାଏ । ଆଳୁ ଦର ପାଇକାରୀ ‘ହୋଲ ସେଲ’ ଦର ସହ ପାଞ୍ଚ ଟଙ୍କା ଯାଏଁ ଯୋଗ କରି ଖୁଚୁରା ‘ରିଟେଲ’ ଦର ଧାର୍ଯ୍ୟ ହୋଇଥାଏ ।
ପଶ୍ଚିମ-ବଙ୍ଗର ହୁଗୁଳି, ପୂର୍ବ-ବର୍ଦ୍ଧମାନ ଓ ପଶ୍ଚିମ-ମେଦିନାପୁର ଅଞ୍ଚଳରେ ଆଳୁ ଚାଷ କରାଯାଏ । ସେଠାରେ ମୁଖ୍ୟତଃ ନଭେମ୍ୱର-ଡ଼ିସେମ୍ୱରରେ ଆଳୁ ଚାରା ରୋପଣ ଏବଂ ଫେବୃୟାରୀ-ମାର୍ଚ୍ଚ ସୁଦ୍ଧା ଫସଲ ଅମଳ ହୁଏ । ଗଛ ବଢ଼ିବା ପାଇଁ ଥଣ୍ଡା ପାଗ ଅନୁକୂଳ । ତେବେ ୨୦୨୪ରେ ଅଦିନିଆ ବର୍ଷା ଲାଗି ରହିବା ଯୋଗୁଁ ପଶ୍ଚିମ-ବଙ୍ଗର ଆଳୁ କ୍ଷେତଗୁଡ଼ିକରେ ପାଣି ଜମି ରହିଲା ଏବଂ ଫସଲ ଉତ୍ପାଦନ ପରିମାଣ କମିଗଲା । ଫଳରେ ଆଳୁ ଅଭାବ ଆକଳନ କରି ପଶ୍ଚିମ-ବଙ୍ଗ ବ୍ୟବସାୟୀମାନେ ଦର ବଢ଼ାଇ ଦେଇଥିବା କୋଲକତାର ବଜାର ବିଶେଷଜ୍ଞମାନେ କହିଥିଲେ । ସାଧାରଣରେ ଆଳୁ ଅମଳ ପରେ ଶୀତଳ ଭଣ୍ଡାରରେ ଗଚ୍ଛିତ ରହିବା ନିମନ୍ତେ ଚାଲିଯାଏ । ମାର୍ଚ୍ଚ–ଏପ୍ରିଲରେ ଚାଷୀମାନଙ୍କଠାରୁ ଉଦବୃତ୍ତ ଆଳୁ ବଜାରକୁ ଆସେ । ଯୋଗାଣ ପରିମାଣ କମ ଥିବା ହେତୁ ଦର ବୃଦ୍ଧିର କାରଣ ରୂପେ ଚ଼ିହ୍ନଟ କରାଯାଇଥିଲା । ଶୀତଳ ଭଣ୍ଡାରରୁ ମେ ମାସ ସୁଦ୍ଧା ଆଳୁ ବିକ୍ରୀ ପାଇଁ ବଜାରକୁ ଛଡ଼ା ଯିବା ପରେ ଆଳୁ ଦର ସୁଧୁରି ଯିବା ଅତୀତ ଅଭିଜ୍ଞତାରୁ ଜଣାଯାଏ ।
କୋଲକତାବାସୀଙ୍କ ଚ଼ନ୍ଦ୍ରମୁଖୀ ଆଳୁ ପସନ୍ଦ । ଏହାର ଦାମ ସେଠାକାର ଖୁଚୁରା ବଜାରରେ ୨୦୨୪ ଏପ୍ରିଲ ମଧ୍ୟଭାଗ ସୁଦ୍ଧା କିଲୋ ପିଛା ୩୫ ଟଙ୍କା ରହିଥିଲା । ଅନ୍ୟପକ୍ଷରେ ଜ୍ୟୋତି କିସମର ଆଳୁ ଦର କିଲୋପିଛା ୨୫ ଟଙ୍କାରେ ମିଳୁଥିଲା । ବ୍ରହ୍ମପୁରକୁ ପ୍ରାୟତଃ ଜ୍ୟୋତି କିସମର ଆଳୁ ଆମଦାନୀ ହୁଏ । ପଶ୍ଚିମ-ବଙ୍ଗର ସମଗ୍ର ଆଳୁ ଅମଳରେ ଚ଼ନ୍ଦ୍ରମୁଖୀ କିସମର ପରିମାଣ ମାତ୍ର ଦଶ ପ୍ରତିଶତରେ ସୀମିତ । ଅନ୍ୟାନ୍ୟ କିସମ ମଧ୍ୟରେ ପୋଖରାଜ, ଏସ-୧ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ପଶ୍ଚିମ-ବଙ୍ଗରେ ମାସିକ ପ୍ରାୟ ପାଞ୍ଚ ଲକ୍ଷ ଟନ ଆଳୁ ସ୍ଥାନୀୟ ବଜାରରେ ବିକ୍ରୀ ହେଉଥିବା ସ୍ଥଳେ ଏକ ଲକ୍ଷ ଟନ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ ଓ ଆନ୍ଧ୍ରପ୍ରଦେଶକୁ ରପ୍ତାନୀ କରିଥାଏ । ଅତୀତରେ ପଶ୍ଚିମ-ବଙ୍ଗ ବଜାରରେ ଆଳୁ ଦର ବଢ଼ି ଗଲେ ରାଜ୍ୟ ସରକାର ବାହାର ରାଜ୍ୟଗୁଡ଼ିକୁ ତୁରନ୍ତ ରପ୍ତାନୀ ବନ୍ଦ କରିଦେଉଥିଲେ । କିନ୍ତୁ କେନ୍ଦ୍ର ସରକାର ‘ଏସେନସିଆଲ କମେଡ଼ିଟିସ (ଏମେଣ୍ଡମେଣ୍ଟ) ଏକ୍ଟ ୨୦୨୦’ ଅଡିନାନ୍ସ ବଳରେ ଲାଗୁ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଳୁ ରପ୍ତାନୀ ବନ୍ଦ ଆଦେଶ ସଂଭବ ହୋଇପାରୁ ନାହିଁ । ପଶ୍ଚିମ-ବଙ୍ଗରେ ବାର୍ଷିକ ପ୍ରାୟ ୯୦ ଲକ୍ଷ ଟନ ଆଳୁ ଅମଳ ହେଉଥିବା ସ୍ଥଳେ ୭୦ ଲକ୍ଷ ଟନ ଶୀତଳ ଭଣ୍ଡାରରେ ଗଚ୍ଛିତ ରଖାଯାଇ ବର୍ଷ ସାରା ବଜାରକୁ ଛଡାଯାଏ ।
ଓଡ଼ିଶା ବଜାରରେ ଆଳୁ ଦର ବୃଦ୍ଧି ସମସ୍ୟାର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଷ୍ଟେଟ ପଟାଟୋ ମିସନ’ ଆରମ୍ଭ କରାଯାଇଥିଲା । ଆଳୁ ଅମଳ, ସାଇତି ରଖିବା ଓ ବିତରଣ କ୍ଷେତ୍ରରେ ୨୦୧୭-୧୮ ସୁଦ୍ଧା ଆତ୍ମ-ନିର୍ଭର ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଚାଷୀମାନଙ୍କୁ ସବସିଡି ମାଧ୍ୟମରେ ଚାରା ଯୋଗାଣ ଭଳି ପଦକ୍ଷେପ ହେତୁ ଆଳୁ ଉତ୍ପାଦନ ମଧ୍ୟ ବଢ଼ିଥିଲା । ତେବେ ଠିକ ବର୍ଷକ ପୂର୍ବେ ୨୦୨୩ ମାର୍ଚ୍ଚ ମାସରେ ଆଳୁ ଅମଳ ବେଳକୁ ଖୁଚୁରା ବଜାରରେ ଆଳୁ ଦର କିଲୋ ପ୍ରତି ଦଶ ଟଙ୍କାକୁ ଖସି ଯିବାରୁ ଚାଷୀଙ୍କଠାରୁ ମାତ୍ର ପାଞ୍ଚ ଟଙ୍କାରେ ଆଳୁ ନେବା ପାଇଁ ପାଇକାରୀ ବ୍ୟବସାୟୀମାନେ ଅଡ଼ି ବସିଲେ । ଆଳୁ ଚାଷ କରିଥିବା ଚାଷୀ ହନ୍ତସନ୍ତ ହେଲେ । ସେହି ଅଭିଜ୍ଞତାର ଫଳାଫଳ ପରବର୍ଷ ୨୦୨୪ ବଜାରରେ ଆଳୁ ଦରରେ ପ୍ରତିଫଳିତ । ଅପରପକ୍ଷେ ବ୍ରହ୍ମପୁର ପରିବା ବଜାରରେ ଗ୍ରୀଷ୍ମଋତୁରେ ପନିପରିବା ଆମଦାନୀ କମିଯିବା କାରଣରୁ ଦର ବଢ଼ିଯାଏ । ସହରବାସୀ ତଟକା ପନିପରିବା ନ ପାଇପାରିବା ହେତୁ ଆଳୁ ଉପରେ ନିର୍ଭର କରନ୍ତି । ଆଳୁ ବ୍ୟବହାର ପରିମାଣ ମଧ୍ୟ ସାମାନ୍ୟ ବଢ଼ିଯାଏ । ତେଣୁ ଆଳୁ ଦର ବୃଦ୍ଧି ହେଲେ ସହରବାସୀ ଛାନିଆ ହେବା ସ୍ୱାଭାବିକ !